12/10/2020
ଅମର ଅକ୍ଷୟ
ଅକ୍ଷୟ ମହାନ୍ତି । ପୁଣ୍ୟର ନଦୀ ତୀରେ ଭସାମେଘ ଭଳି ଅବୁଝା ନାୟିକାକୁ ଖୋଜୁଥିବା ସେଇ କଳଙ୍କିତ ନାୟକ । କେବେ ନଦୀପଠାରେ ସେ ଉଡ଼ିଯାଆନ୍ତି ଗୁଡ଼ି ସହ ତ କେବେ ନଣ୍ଡାମୁଣ୍ଡିଆ ଡ୍ରାଇଭର ସହ ବାହାରି ପଡ଼ନ୍ତି ଫୁଲବାଣୀ । ପୁଣି କେବେ ସେ ସାବି, ବେବୀ ବା ରତନୀ ପାଟ ପତନିର ଡୋର କାଟି ବୋଉଲୋ ହେବି ନାହିଁ ବାହା ହେବି ନାହିଁ କହି ରାଉରକେଲା ଯିବାକୁ ବାହାରି ପଡ଼ିଥିବା ଉଦ୍ଧତ ଫଗୁଣ । ପୁଣି ସେ କେବେ ଦଶରା ବଜାର ଷଣ୍ଢ ନହେଲେ ଘର ଘର ବୁଲୁଥିବା କାଂଜି । ଶବ୍ଦ, ଭାବ ଓ ସ୍ୱରରେ ସର୍ବଦା ନିମଗ୍ନ, ଅଥୟ - ଅକ୍ଷୟ ।
ସେ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ବେତାଜ୍ ବାଦଶାହ । ପାରମ୍ପରିକତାର ଆବଦ୍ଧ ପରିବେଶ ଭିତରୁ ସେ ମୁକୁଳେଇ ଆଣିଥିଲେ ଓଡ଼ିଆ ସଙ୍ଗୀତକୁ । ଦେଇଥିଲେ ଏକ ନୂଆ ପରିଚୟ । ତାଙ୍କ ଗାୟନରେ, ସଙ୍ଗୀତ ନିଦେ୍ର୍ଦଶନାରେ ଓଡ଼ିଆ ସଙ୍ଗୀତ ପାଇଥିଲା ନୂଆ ରୂପ । ନୂଆ ନୂଆ ଗୀତ, ସ୍ୱର, ବାଦ୍ୟ, ଗାୟନ ଶୈଳୀ, ସବୁଥିରେ କରିଥିଲେ ପରୀକ୍ଷା ନିରୀକ୍ଷା । ଓଡ଼ିଶାର ଗଳିକନ୍ଦିରେ ସବୁଠି ବାଜୁଥିଲା ତାଙ୍କ ଗୀତ । ଖାଲି ରାଜ୍ୟ ଭିତରେ ନୁହେଁ, ବାହାରେ ବି ଲୋକ ଜାଣିଥିଲେ ତାଙ୍କୁ, ପସନ୍ଦ କରୁଥିଲେ ତାଙ୍କ ଗୀତକୁ । ଗୀତ, ସ୍ୱର ବାଛିବାରେ ସେ ଥିଲେ ଓସ୍ତାଦ୍ । ଯେତିକି ଅମୂଲ୍ୟ ଭାବଗମ୍ଭୀର ଗୀତ ଗାଇଛନ୍ତି, ସେତିକି ବି ଗାଇଛନ୍ତି ଚାଲୁ ଗୀତ । କୌଣସି ଗୋଟିଏ ବି ଗୀତ ଫେଲ୍ ହୋଇନି ତାଙ୍କର ଲୋକଙ୍କ ଶ୍ରଦ୍ଧା ସାଉଁଟିବାରେ । ଲୋକଙ୍କ ମନ ଜାଣି ଗୀତର ଭେଟି ଦେବାରେ ତାଙ୍କଠୁ ପେସାଦାର ଆଉ କେହି ନଥିଲେ । ସେ ଥିଲେ ନିଜ ସମୟ ସହିତ, ପୁଣି ନିଜ ସମୟଠାରୁ ଢେର ଆଗରେ । ସେ ହିଁ ସୁରୁ କରିଥିଲେ ପେସାଦାର ମେଲୋଡ଼ି ଓଡ଼ିଶାରେ । ଷ୍ଟେଜରେ ଛିଡ଼ା ହେଲେ ଶ୍ରୋତାଙ୍କ ଭିତରେ ସେ ସୃଷ୍ଟି କରିଦେଇପାରୁଥିଲେ ଉଦବେଳନ । ଅନେକ ନୂଆ ମୁହଁଙ୍କୁ ପରିଚିତ କରିବାରେ ବି ଥିଲା ତାଙ୍କର ଅନବଦ୍ୟ ଅବଦାନ, ସଂଗୀତରେ ହେଉ କି ଗୀତ ଲେଖାରେ ।
ଖାଲି ସଙ୍ଗୀତ ନୁହେଁ, ସାହିତ୍ୟରେ ବି ପ୍ରଚଣ୍ଡ ପ୍ରତିଭା ଥିଲେ ଅକ୍ଷୟ । ଲେଖିଥିଲେ ଗଳ୍ପ, ଉପନ୍ୟାସ, ଅନୁଭୂତି । ଅସଂଖ୍ୟ ଗୀତ । ଯାହା କହୁଥିଲେ, ଲେଖୁଥିଲେ ରୋକଠୋକ୍ । ସଙ୍ଗୀତ ଭଳି ନିଜ ହୃଦୟର ଭାବକୁ ନିଗାଡ଼ି ଦେଉଥିଲେ, ପଦ୍ୟରେ ହେଉ ବା ଗଦ୍ୟରେ ।
ଭୀଷଣ ସ୍ୱାଭିମାନୀ, ଯାହାକୁ କେହି କେହି କହନ୍ତି ଅହଙ୍କାର ବୋଲି । ହେଲେ ଯାହା ସତ, ସେୟା ହିଁ କହୁଥିଲେ । ନା ମୂଲଚାଲ, ନା ତୋଷାମଦ । ପୁଣି ସେ ଥିଲେ ପ୍ରେମିକ, ସେ ବି ଥିଲେ ଭକ୍ତ । ସବୁର ମିଶାମିଶି ଏକ ନିଆରା ବ୍ୟକ୍ତିତ୍ୱ - ଅକ୍ଷୟ ମହାନ୍ତି । ଚିର ଅକ୍ଷୟ, ଅମର ।